ରାଜ୍ୟ ସ୍ତରୀୟ ଉତ୍କଳ ଗୌରବ ମଧୁବାବୁ ଜୟନ୍ତୀ ସମାରୋହ ଓ ସାଲେପୁର ମହୋତ୍ସବ ୨୦୨୫ର ଶୁଭାରମ୍ଭ ହୋଇ ସାରିଛି। ପୂର୍ବତନ ବିଧାୟକ ତଥା ମଧୁବାବୁ ଜୟନ୍ତୀ କମିଟିର ପ୍ରତିଷ୍ଠାତା ସଭାପତି ପ୍ରକାଶ ଚନ୍ଦ୍ର ବେହେରାଙ୍କ କର କମଳରେ ଏହା ଆନୁଷ୍ଠାନିକ ଭାବେ ଉଦ୍ଘାଟିତ ହୋଇଯାଇଛି । ଓଡ଼ିଶାର ବରପୁତ୍ର ମଧୁବାବୁଙ୍କ ଜନ୍ମମାଟି ସାଲେପୁରର ସତ୍ୟଭାମାପୁର ଠାରେ ମଧୁବାବୁଙ୍କ ପ୍ରତିମୂର୍ତ୍ତୀରେ ପୁଷ୍ପ ମାଲ୍ୟ ଅର୍ପଣ କରିବା ପରେ ମଧୁ ଜ୍ୟୋତି ଶୋଭାଯାତ୍ରା ଆରମ୍ଭ ହୋଇଥିଲା । ଏକ ବିରାଟ ମଟର ସାଇକେଲ ରାଲିରେ ପ୍ରକାଶ ବେହେରା ମଧୁ ଜ୍ୟୋତିକୁ ଆଣି ସାଲେପୁର ବଜାର ପଡିଆ ସ୍ଥିତ କାର୍ଯ୍ୟକ୍ରମ ସ୍ଥଳୀରେ ସ୍ଥାପନା କରିଛନ୍ତି । ଏହି ଅବସରରେ ମଧୁବାବୁଙ୍କ ଆଦର୍ଶରେ ଅନୁପ୍ରାଣିତ ହେବା ପାଇଁ ଶ୍ରୀ ପ୍ରକାଶ ବେହେରା ମହୋଦୟ ସମସ୍ତଙ୍କୁ ଶପଥ ପାଠ କରାଇଥିବା ବେଳେ, ମଧୁବାବୁଙ୍କୁ ଭାରତ ରତ୍ନ ପ୍ରଦାନ ସହ ତାଙ୍କ ଜନ୍ମସ୍ଥଳୀକୁ ଜାତୀୟ ସ୍ମାରକୀ ଘୋଷଣା କରିବା ଦାବୀକୁ ଦୋହରାଇଛନ୍ତି । ମହୋତ୍ସବର ପ୍ରଥମ ସନ୍ଧ୍ୟାରେ କମିଟିର ପ୍ରତିଷ୍ଠାତା ସଦସ୍ୟ ପ୍ରକାଶ ଚନ୍ଦ୍ର ବେହେରା ପ୍ରଦୀପ ପ୍ରଜ୍ବଳନ କରି ସାଲେପୁର ମହୋତ୍ସବକୁ ଶୁଭ ଉଦ୍ଘାଟନ କରିଥିବା ବେଳେ ବିଭିନ୍ନ ପଞ୍ଚାୟତର ସ୍ଵଂୟ ସହାୟିକା ଗୋଷ୍ଠୀଙ୍କ ତରଫରୁ ଖୋଲାଯାଇଥିବା ମିଶନ ଶକ୍ତି ଷ୍ଟଲକୁ ଶ୍ରୀ ବେହେରା ମଧ୍ୟ ଉଦ୍ଘାଟନ କରିଥିଲେ । ମଧୁ ବାବୁଙ୍କ ଦ୍ଵାରା ବ୍ୟବହୃତ ଜିନିଷ ଓ ତାଙ୍କ ସମ୍ବଳିତ ଫଟୋଚିତ୍ରକୁ ନେଇ ମଧୁସୂଦନ ପାର୍କରେ ଏକ ମ୍ୟୁଜିୟମ ଖୋଲା ଯାଇଛି । ଉତ୍କଳ ଗୌରବ ମଧୁବାବୁଙ୍କୁ ଭାରତ ରତ୍ନ ପ୍ରଦାନ ଓ ତାଙ୍କ ଜନ୍ମ ସ୍ଥଳୀକୁ ଜାତୀୟ ସ୍ମାରକୀ ଘୋଷଣା ପାଇଁ ଆରମ୍ଭ ହୋଇଥିବା ଦସ୍ତଖତ ଅଭିଯାନରେ ନିଜେ ପ୍ରଥମେ ଦସ୍ତଖତ କରି ଏହାର ଶୁଭାରମ୍ଭ କରିଛନ୍ତି ।